କୁମୁଦଦେଈ କାନ୍ଦ

 

 

 

 

 

 

 

 

 

କୁମୁଦଦେଈ କାନ୍ଦ

ଶ୍ରୀ ରାମଚନ୍ଦ୍ର ଦାସ

 

କୁମୁଦଦେଈ କାନ୍ଦ

 

ଶୁଣ ଜନେ ମନ ଦେଇ । ବିଭାଶେଷେ କାନ୍ଦେ କୁମୁଦ ଦେଈ ସେ

ମୋ ମାଆରାଣି । ପାଶରୁ ଦେଉଛ ତଡ଼ି କିପାଇଁ ଗୋ ।୧।

ଏବେ କି ବୁଦ୍ଧି କରିବି । କେଉଁଆଡ଼େ ଯିବି କାହିଁ ରହିବି ଗୋ ।

ମୋ ମାଆରାଣି । କାହାମୁଖ ଦେଖି ଦିନ କାଟିବି ଗୋ ।୨।

ପିଲାଦିନୁ ଏଡ଼େ କଲ । କେତେ ଯତନରେ ବଢ଼ାଇ ଥିଲ ଗୋ

ମୋ ମାଆରାଣି । ଏବେ କିପାଁ ମୋତେ ଏ ଦୁଃଖ ଦେଲ ଗୋ ।୩।

କେଉଁ ଦୋଷ କଲି ମୁହିଁ । ନଈ ସେପାରିକି ଦିଅ ପଠାଇ ଗୋ ।

ମୋ ମାଆରାଣି । ଚିତ୍ତରେ ଏବେତ ନିର୍ଦ୍ଦୟ ହୋଇ ଗୋ ।୪।

ଦଣ୍ଡେ ନ ଦେଖିଲେ ପରା । ସାହି ସାହି ଖୋଜି ପଡ଼େ ଡାକରା ଗୋ ।

ମୋ ମାଆରାଣି । କେତେ ଲୋକେ କର କେତେ ପଚରା ଗୋ ।୫।

ନ ଦେଖିଲେ ପରା ନେତ୍ରେ । କେତେ ବ୍ୟସ୍ତ ହେଉ ଥାଉ ତ ଚିତ୍ତେ ଗୋ ।

ମୋ ମାଆରାଣି । ଏଣିକି ମୂର୍ଚ୍ଛୁଛ କି ଭାଳି ମୋତେ ଗୋ ।୬।

ଯଦି କରିଥିଲି ଦୋଷ । ବିଷ ଦେଇ କରି ଥାଆନ୍ତ ନାଶ ଗୋ ।

ମୋ ମାଆରାଣି । ତଡ଼ିଦିଅ କିପାଁ ଦୂର ବିଦେଶ ଗୋ ।୭।

କୁମୁଦ ଦେଈର ଶୋକ । ଶୁଣି ମାତା କାନ୍ଦି କହେ ଅଧିକ ସେ ।

ମୋର କୁମୁଦ । ଆଉ ତୁ ନ ବୁହା ନେତ୍ରୁ ଲୋତକ ଗୋ ।୮।

କି କହୁ ମୋତେ କୁମୁଦ । ମୋ ମନ ବେଦନା ଜାଣେ ମୋ ହୃଦ ଗୋ ।

ମୋ ଦୁଃଖିଧନ । ନ କର କର ମୋ ମାଆ ଖେଦ ଗୋ ।୯।

ତୁ ମୋର ନେତ୍ର ପିତୁଳା । କରିଥିଲି କଣ୍ଠ ରତନମାଳା ଲୋ ।

କୁମୁଦ ଦେଇ । କାଟିଦେଇ ଆଜ ଯିବୁ ମୋ ଗଳା ଲୋ ।୧୦।

କେଉଁ ବୁଦ୍ଧି କରିବଇଁ । କି ଉପାୟେ ଦିନ ବିଞ୍ଚିବି ମୁହିଁ ଲୋ ।

କୁମୁଦ ଦେଇ । ଥୟ ମୁଁ ମନେ କରିପାରୁ ନାହିଁ ଲୋ ।୧୧।

କ୍ଷଣେ ନ ଦେଖିଲେ ତୋତେ । ମୋ ମନ ବିକଳ ହୁଅଇ କେତେ

ଲୋ । କୁମୁଦ ଦେଇ । ଏବେ କାଟିବି ମୁଁ ଦିନ କେମନ୍ତେ ଲୋ ।୧୨।

ମୋ ଘର ଚନ୍ଦ୍ରମା ତୁହି । ଆଝୁଁ ଯିବୁ ଅମାବାସ୍ୟା କରାଇ ଲୋ ।

କୁମୁଦ ଦେଇ । ଘୋର ଦୁଃଖ ସିନ୍ଧୁମଧ୍ୟେ ଭସାଇ ଲୋ ।୧୩।

କେତେ ଦେବାଦେବୀ ମୁହିଁ । ସେବାକରି ତୋତେ ପାଇଥିଲଇଁ ଲୋ ।

କୁମୁଦ ଦେଇ । ଦଶମାସ ଗର୍ଭ କଷଣ ସହି ଲୋ ।୧୪।

ସ୍ତନଭାଙ୍ଗି କ୍ଷୀର ଦେଲି । ସାତୁଟା ପୁଅର ଧନ ସାରିଲି ଲୋ ।

କୁମୁଦ ଦେଇ । କେତେ ସ୍ନେହେ ତୋତେ ବଢ଼ାଇ ଥିଲି ଲୋ ।୧୫।

ତୋ ପାଇଁ ଲୋ ଗେହ୍ଲାମଣି । କେତେ ତୀର୍ଥ ବ୍ରତ କଲି ଭ୍ରମଣି ଲୋ ।

କୁମୁଦ ଦେଇ । ତାହା ମୋର ମନ ଅଛଇ ଜାଣି ଲୋ ।୧୬।

ସେ କଥା ମନେ ପଡ଼ୁଛି । ଚିତୋଇ ମୋହର ପ୍ରାଣଜଳୁଛି ଲୋ ।

କୁମୁଦ ଦେଇ । ଏବେ କେଉଁପରି ଦେବି ମୂରୁଛି ଲୋ ।୧୭।

ଏବେଳେ ବଡ଼ ମା ଆସି । କୁମଦ ଦେଈକି କହଇ ତୋଷି ଲୋ ।

ମୋ ଗଳାମାଳୀ । ଆଉ ତୁ ନ କାନ୍ଦ ମୋ ଶଶିହାସି ଲୋ ।୧୮।

ମୋ ମାଆରାଣି ମୋ ଧନ । ବୃଥା ତୁ କାହିଁକି କରୁ କ୍ରନ୍ଦନ ଲୋ ।

କୁମୁଦ ଦେଇ । ସଂସାରେ ଏହାତ ବିଧି ଭିଆଣ ଲୋ ।୧୯।

ପରପୁଅ ପରଝିଅ । ବିଭାଘର ହୁଏ ଏହାତ ନ୍ୟାୟ ଲୋ ।

କୁମୁଦ ଦେଇ । ଏବେ ପତିଘରେ ସୁଖେ ତୁ ଯାଅ ଲୋ ।୨୦।

କାନ୍ତ ଘେନି କର ଘର । କାହିଁକି ରୋଦନ କରୁ ଅପାର ଲୋ ।

କୁମୁଦ ଦେଇ । କ୍ଷୀଣ ହେବ ସିନା ଦେହ ତୋହର ଲୋ ।୨୧।

ନ କାନ୍ଦ ମୋ ଦୁଃଖିଧନ । ଶାଶୁ ଘରେ କାଟ ଆନନ୍ଦେ ଦିନଲୋ

କୁମୁଦ ଦେଇ । ନ କର ମୋ ମାଆ ବିରସ ମନ ଲୋ ।୨୨।

ପତି ଭକ୍ତିରେ ତୁ ଥିବୁ । ଶାଶୁ ଶ୍ୱଶୁର ପାଦ ସେବୁଥିବୁ ଲୋ ।

କୁମୁଦ ଦେଇ । କେଭେ ଅଳସ ହୃଦେ ନ ରଖିବୁ ଲୋ ।୨୩।

ଭଲ ଦେଖି କର ଘର । ବିଭା ଦେଇଛନ୍ତି ପିତା ତୋହର ଲୋ

କୁମୁଦ ଦେଇ । ମନୁ ଚିନ୍ତା ଦୁଃଖ କର ତୁ ଦୂର ଲୋ ।୨୪।

ସକାଳୁ ନିତି ଉଠିବୁ । ପ୍ରଥମେ ମୁହଁଗୋଟି ଧୋଇନେବୁ ଲୋ ।

କୁମୁଦ ଦେଇ । ତା ପରେ ଗୋମୟ ପାଣି ସିଞ୍ଚିବୁ ଲୋ ।୨୫।

ତହୁଁ ଖଡ଼ିକା ପହଁରା । ଘେନି ଚାରିଆଡ଼ ଖରକି ତ୍ୱରା ଲୋ ।

କୁମୁଦ ଦେଇ । ଗାଧୁଆ ସାରିବୁ ନ ଆସୁ ଖରା ଲୋ ।୨୬।

ବଡ଼ମା ପାଶରୁ ହିତ । ଶୁଣିଣ କୁମୁଦ କାନ୍ଦେ ବହୁତ ଗୋ ।

ଏ ବଡ଼ମାଆ । କାହିଁକି ହୋଇଲ ନିର୍ଦ୍ଦୟ ଚିତ୍ତ ଗୋ ।୨୭।

କେତେ ଯତ୍ନେ ବଢ଼ାଇଲ । ଏଣିକି କାହିଁକି କଂସାଇ ହେଲ ଗୋ ।

ଏ ବଡ଼ମାଆ । କେଉଁଦୋଷେ ଦୂରେ ପଠାଇ ଦେଲ ଗୋ ।୨୮।

ତୁମ୍ଭେପରା ମୋତେ ଦଣ୍ଡେ । ନ ଦେଖିଲେ ପ୍ରାଣ ନଧର ପିଣ୍ଡେଗୋ ।

ଏ ବଡ଼ମାଆ । କେତେ ଡାକୁଥାଅ ବୁଲିଣ ଦାଣ୍ଡେ ଗୋ ।୨୯।

ସେ ସ୍ନେହ କେଣିକି ଗଲା । କିପାଇଁ ଦାରୁଣ ହୃଦୟ ହେଲା ଗୋ ।

ଏ ବଡ଼ମାଆ । କେଭେତ ଏପରି ଦେଖା ନ ଥିଲା ଗୋ ।୩୦।

ଏ ସମୟେ ଖୁଡ଼ି ଆସି । କୋମଳ ବଚନ ତାହାକୁ ଭାଷି ସେ ।

ଆଲୋ କୁମୁଦ । ବୃଥାରେ ଏତେ ତୁ କାନ୍ଦନା ବସି ଲୋ ।୩୧।

କେଉଁ କଥା ପାଇଁ ଏତେ । କ୍ରନ୍ଦନ କରୁଛ ମୋ ଧନ ଏତେ ଲୋ !

କୁମୁଦ ଦେଇ । କହ ତାହା ଫେଡ଼ି ମୋର ଅଗ୍ରତେ ।୩୨।

ନ କାନ୍ଦ ମୋ ବାଇଆଣି । କିଛି କଥାକୁ ନ କର ଭାଳେଣି ଲୋ ।

କୁମୁଦ ଦେଇ । ଚିନ୍ତାଦୁଃଖ ତେଜି ହୁଅ ତୁ ତୁନି ଲୋ ।୩୩।

ଯାହା ଇଚ୍ଛା ହୁଏ ତୋର । ବାଛି ବାଛି ଘରୁ ନିଅ ମୋହର ଲୋ

କୁମୁଦ ଦେଇ । ସୁଖେ ଯାଆ ମାଆ ଶ୍ୱଶୁର ଘର ଲୋ ।୩୪

ଖୁଡ଼ିପାଶୁ ଏହା ଶୁଣି । ଉଚ୍ଚରେ କୁମୁଦ କାନ୍ଦେ ବାହୁନି ସେ ।

ଗୋ ସାନ ଖୁଡ଼ି । କିପାଇଁ ପାଶରୁ ଦେଉଛ ତଡ଼ି ଗୋ ।୩୫।

ତୁମ୍ଭର ଯେ ସ୍ନେହ ଥିଲା । ମୋ ପ୍ରତି ତା ଏବେ କେଣିକି ଗଲାଗୋ

ଏ ସାନଖୁଡ଼ି । ସବୁ ସ୍ନେହ ଏବେ ଜଣା ପଡ଼ିଲା ଗୋ ।୩୬।

ତୁମ୍ଭକଥା ଯାକ ମୋର । ମନରେ ପଡ଼ୁଥିବ ନିରନ୍ତର ଗୋ ।

ଏ ସାନଖୁଡ଼ି । ବଞ୍ଚିବି ସେଠାରେ କେଉଁ ପ୍ରକାର ଗୋ ।୩୭।

ତୁମ୍ଭପରି କିଏ ହେବ । ଜଳଖିଆ ଆଣି ମୋ ହାତେ ଦେବ ଗୋ ।

ଏ ସାନଖୁଡ଼ି । ସକାଳୁ ଡ଼ାକି ମୋତେ ଉଠାଇବ ଗୋ ।୩୮।

କେ ପୁଣି ଗାଧୋଇ ନେବ । କେ ତେଲ ହଳଦି ଲଗାଇ ଦେବ ଗୋ

ଏ ସାନଖୁଡ଼ି । ତୁମ୍ଭଗୁଣ ଗୁଣି ମୋ ପ୍ରାଣ ଯିବ ଗୋ ।୩୯।

କିଏସେ ରୋଷେଇଶାଳେ । କାହାଣି କହିବ ରାନ୍ଧିବା ବେଳେ ଗୋ

ଏ ସାନଖୁଡ଼ି । ହସାଇ ରସାଇ ବହୁତ ଗେଲେ ଗୋ ।୪୦।

ଏହିକଥା ଯେ ତୁମ୍ଭର । ମନେ ପଡ଼ୁଥିବ ନିରତେ ମୋର ଗୋ ।

ଏ ନୂଆଖୁଡ଼ି । କିପାଁଇ କଲ ଏମନ୍ତ ବିଚାର ଗୋ ।୪୧।

କିଏସେ ଦାଦାଙ୍କୁ କହି । ନେଳି ଲାଲିପାଟ ଦେବ ଅଣାଇ ଗୋ ।

ଏ ସାନଖୁଡ଼ି । କା ଆଗେ ଅଳି ବା କରିବି ମୁହିଁ ଗୋ ।୪୨।

କୁମୁଦ କାନ୍ଦ ଏପରି । ଶୁଣି ବଡ଼ ବୋହୂ ସହି ନ ପାରି ସେ ।

କାନ୍ଦି କହଇ । ନ କାନ୍ଦ ବିକଳେ କୁମୁଦ ଦେଇ ଗୋ ଲୁହବୁହାଇ ।୪୩।

ଏତେ ରୋଦନ କାହିଁକି । କରୁଛ ଚିତ୍ତରେ ଚନ୍ଦ୍ରମାମୁଖି ଗୋ ।

କୁମୁଦଦେଇ । ନ କାନ୍ଦ ମୋରାଣ ଆଉ ଏଣିକି ଗୋ ।୪୪।

ତୁମ୍ଭେ ମୋ ଜୀବନଧନ । ମୋ ସଙ୍ଗେ ଖେଳୁଥିଲ ପ୍ରତିଦିନ ଗୋ ।

କୁମୁଦ ଦେଇ । କି କରିବି ମୋର କପାଳହୀନ ଗୋ ।୪୫।

କିଏ ଦିନ ହୋଇ ଗଲେ । ବାସି କାମ ସାରି ଡ଼ାକିବ ଭଲେ ଗୋ

କୁମୁଦ ଦେଇ । ତୁମ୍ଭଗୁଣ ନ ସରିବ କହିଲେ ଗୋ ।୪୬।

ରୁଷି ବସିଥିଲେ ମୁହିଁ । କିଏ ହାତ ଧରି ନେବ ବୁଝାଇ ଗୋ ।

କୁମୁଦ ଦେଇ । ତୁମ୍ଭର ଏ କଥା ମନେ ପଡ଼ଇ ଗୋ ।୪୭।

ତୁମ୍ଭେ ସ୍ନେହ କର ଯେତେ । ସେପରି କରିବ କିଏସେ ମୋତେ

ଗୋ କୁମୁଦ ଦେଇ । ଘୋରଦୁଃଖ ଦେଇ ଯାଅ ନିରତେ ।୪୮।

ଭାଉଜ କ୍ରନ୍ଦନ ଶୁଣି । କାନ୍ଦି ଶୋକେ କୁମୁଦ ପୁଣି ଗୋ ।

ଏ ନୂଆବୋହୂ । କି ବିଚାର କଲେ ବାପା ଜନନୀ ଗୋ ।୪୯।

ଜାଣୁ ଜାଣୁ ମୋତେ ନେଇ । କୁମ୍ଭୀର ନଈରେ ଦେଲେ ଭସାଇ

ଗୋ । ଏ ନୂଆବୋହୂ । ଆଉ କି ଦେଖିବି ତୁମ୍ଭଙ୍କୁ ମୁହିଁ ଗୋ ।୫୦।

ଚିତୋଉପିଠା ଯେ ଅଣନେଉଟା । ଆଉ କି ଦେଖିବି ଆମ୍ଭରକୋଠା

ଏ ନୂଆବୋହୂ । ମୋହର କପାଳ ଏଡ଼ିକି ଫଟା ଗୋ ।୫୧।

ତୁମ୍ଭପରି କିଏ ହେବ । ସୁବାସ ତୈଳ କେ ଲଗାଇ ଦେବ ଗୋ ।

ଏ ବଡ଼ବୋହୂ । କେଶ ଯତ୍ନେ କେ କୁଣ୍ଡାଇ ବାନ୍ଧିବ ଗୋ ।୫୨।

ଯାତରାକୁ ଗଲେ ଭାଇ । ସୁନ୍ଦର ଖେଲଣା ଦିଅ ମଗାଇ ଗୋ ।

ଏ ନୂଆବୋହୂ । ମୋହର ସିନା ସେ ଖେଳିବା ପାଇଁ ଗୋ ।୫୩।

ଆଉ ମୋତେ କିଏ ଦେବ । ଖେଳିବା ପାଇଁକି କହୁଣ ଥିବ ଗୋ

ଏ ନୂଆବୋହୂ । ଏହା ଭାଳି ଭାଳି ମୋ ପ୍ରାଣ ଯିବ ଗୋ ।୫୪।

ଏ ବେଳେ ବାପା ଅଇଲେ । ବହୁତ ପ୍ରବୋଧ ବାଣୀ କହିଲେ ଗୋ

ଆଲୋ କୁମୁଦ । ନ କାନ୍ଦ ଆଉ ତୁ ଏତେ ବିକଳେ ଗୋ ।୫୫।

ତିନିମାସ ପରେ ଯିବି । ଝୁଲଣଯାତ୍ରାକୁ ଘେନି ଆସିବି ଲୋ ।

ମୋର କୁମୁଦ । କିଛି ତୁ ଭାବନା ନ କର ଚିତ୍ତେ ଲୋ ।୫୬।

ପିତା ବାଣୀ ଶୁଣି କରି । କୁମୁଦ କାନ୍ଦିଣ କହେ ଏପରି ସେ ।

ବାପା ମୋହର । କିପାଁ ଏହି ଦୁଃଖ ଦେଲ ବିଚାରି ହେ ।୫୭।

କି ଦୋଷ ମୋର ଦେଖିଲ । କାହିଁକି ମୋଠାରେ ନିର୍ଦ୍ଦୟ ହେଲ

ହେ । ବାପା ମୋହର । ଦୂର ବିଦେଶକୁ ପଠାଇ ଦେଲ ହେ ।୫୮।

କେତେସ୍ନେହ ପରା କର । ସେ ସ୍ନେହ ସବୁ କି ହେଲା ପାଶୋର ହେ,

ବାପା ମୋହର । କରିବି କି ବୁଦ୍ଧି କୁହ ଏଥର ହେ ।୫୯।

ବୁଲୁଥିଲେ ମୁଁ ଖରାରେ । କିଏ ଡ଼ାକି ନେଇ ଯିବ ସଙ୍ଗରେ ହେ

ବାପା ମୋହର । ବୋଧି ବସାଇବ ମୋତେ ଛାଇରେ ହେ ।୬୧।

କାପାଶେ ଅଳି କରିବି । ସୁନ୍ଦର ପଦାର୍ଥ ମାଗିଣ ନେବି ହେ ।

ବାପା ମୋହର । କିପାଁ ଦୂର ଦେଶେ ଦେଲ କି ଭାବି ହେ ।୬୨।

ଏହା ଯେବେ ଭାଳିଥିଲ । ବିଷ ଦେଇ କାହିଁକି ନ ମାରିଲ ହେ ।

ବାପା ମୋହର । ଏତେବେଳେ କିପାଁ ଏକଷ୍ଟ ଦେଲ ହେ ।୬୩।

ଭାଇ ଏ ସମୟେ ଆସି । କୁମୁଦ ଦେଈକି କହଇ ତୋଷି ସେ ।

ଆଲୋ କୁମୁଦ । କାନ୍ଦୁଅଛୁ କିପାଁ ଏତେ ତୁ ବସି ଲୋ ।୬୪।

ନ କର ଆଉ କ୍ରନ୍ଦନ । ତୋ କନ୍ଦରେ ହୁଏ ବିକଳ ମନ ଲୋ

କୁମୁଦ ଦେଇ । କହିବା ମୋହର ବଚନ ଘେନ ଲୋ ।୬୫।

ଭାଇଠାରୁ ଏହା ଶୁଣି । କୁମୁଦ କହଇ କ୍ରନ୍ଦନେ ବାଣୀ ସେ ।

ହେ ବଡ଼ଭାଇ । କି ବିଚାର କଲ ମୋଠାରେ ପୁଣି ହେ ।୬୬।

ପଠାଇ ଦେଲ ଦୂରକୁ । ଆଉ କି ଦେଖିବି ତୁମ୍ଭମାନଙ୍କୁ ହେ ।

ଭାଇ ମୋହର । ଶୁଣିବ କେ ଆଉ ମୋର ଅଳିକୁ ହେ ।୬୭।

ଏକାଳେ ସହି ସଙ୍ଗାତ । ଆସିକୁମୁଦକୁ କହନ୍ତି ହିତ ଗୋ ।

ପ୍ରାଣ ସଙ୍ଗାତ । କାହିଁକି ମନରେ ହୁଅ ଦୁଃଖିତ ଗୋ ।୬୮।

ଯେତେଦିନ ଘରେ ଥିଲ । ଏଣିକି ତୁମ୍ଭେତ ବିଭା ହୋଇଲ ଗୋ

ପ୍ରାଣ ସଙ୍ଗାତ । ହର୍ଷେ ଏବେ ଶାଶୁଘରକୁ ଚଳ ଗୋ ।୬୯।

ସବୁ ଚିନ୍ତାକର ଦୂର । ଏଣିକି କାନ୍ତେ ଘେନି କର ଘର ଗୋ ।

ପ୍ରାଣ ସଙ୍ଗାତ । ସେ ଧନ୍ଦା ସକଳ ଏବେ ବିଚାର ଗୋ ।୭୦।

ସହି ସଙ୍ଗାତଙ୍କ ହିତ । ଶୁଣିଣ କୁମୁଦ କାନ୍ଦେ ବହୁତ ଗୋ ।

ସହି ସଙ୍ଗାତ । କିପାଁ ଏବେ ହେଲ ନିର୍ଦ୍ଦୟ ଚିତ୍ତ ଗୋ ।୭୧।

ତୁମ୍ଭ ଆମ୍ଭ ଯେଉଁ ଭାବ । ତାହା ଗୁଣି ନିତ୍ୟ ମୋ ପ୍ରାଣ ଯିବ ଗୋ

ସଙ୍ଗାତ ମୋର । କପାଳେ ଏହା ବିହିଲା ଦଇବ ଗୋ ।୭୨।

ଗୋ ଚାନ୍ଦ ଅଶୋକା କଢ଼ି । କିପାଁ ତୁମ୍ଭ ପାଶୁ ଦେଉଛ ତଡ଼ି ଗୋ

ଅଶୋକା କଢ଼ି । କେତେ ଡ଼ାକୁଥିଲ ଘଡ଼ିକି ଘଡ଼ି ଗୋ ।୭୩।

ଗୋ ବଉଳ ଚମ୍ପାଫୁଲ । କାହିଁକି ମୋଠାରେ ନିଷ୍ଠୁର ହେଲ ଗୋ

ଏ ଆମ୍ୱକସି । କେଉଁ ଦୋଷ ମୋର ଏବେ ଦେଖିଲ ଗୋ ।୭୪।

ଏ ବେଳରେ ଧାଇଁ ଆସି । ବୋଧନ୍ତି ସାହିର ମା ମାଉସି ଲୋ ।

କୁମୁଦ ଦେଇ । ନ କାନ୍ଦ ଆଉ ତୁ ବିକଳେ ବସି ଲୋ ।୭୫।

ଯାଅ ଚଢ଼ି ଖଡ଼ଖଡ଼ି । ବେଳ ହୁଏ ଖରା ଆସୁଛି ମାଡ଼ି ଲୋ ।

କୁମୁଦ ଦେଇ । କିପାଁ ଏତେ ତୁ କାନ୍ଦୁ ମୁଣ୍ଡକୋଡ଼ି ଲୋ ।୭୬।

ଶାଶୁଘରେ ସବୁ ତୋର । ବାପଘରେ କିସ ଅଛି ବିଚାର ଲୋ ।

କୁମୁଦ ଦେଇ । ସୁଖେ କାନ୍ତେ ଘେନି କର ତୁ ଘର ଲୋ ।୭୭।

ସବୁରି ନିରାଶ ଶୁଣ । ଉଚ୍ଚରେ କୁମୁଦ କାନ୍ଦେ ବାହୁନି ଗୋ ।

ମାଆ ମାଉସି । ସର୍ବେ କୁହ ଏଡ଼େ ନିର୍ଦ୍ଦୟ ବାଣୀ ଗୋ ।୭୮।

ଏକାଳେ ଆଣି ସବାରି । ସମସ୍ତେ କୁମୁଦ ହାତକୁ ଧରି ସେ ।

ଦେଲେ ବସାଇ । ତୁନି ହୁଅ ବୋଲି ବହୁ ବୁଝାଇ ସେ ।୭୯।

ବହୁତ ଯୌତୁକ ଦେଲେ । କୁମୁଦ ଶାଶୁଘରରେ ମିଳିଲେ ସେ ।

ହେ ସାଧୁଜନେ । ରାମଚନ୍ଦ୍ର ଏହି କାନ୍ଦରେ ବୋଲେ ହେ ।୮୦।

Image